କେ କାହୁଁ ବୁଝିବ ଦେହର ଦରଜ
ମନର ଯନ୍ତ୍ରଣା ବ୍ୟଥା
ଶ୍ରମିକଟିଏ ସେ ପ୍ରାଣ ତା କାନ୍ଦୁଛି
ହୃଦେ ତା ଅକୁହା କଥା ।1
ଶ୍ରବଣ କୁମାର ନୁହଁଇ ତ ସିଏ
ନୁହେଁ ଧର୍ମପଦ ବୀର
ବୃଦ୍ଧ ମାତା ପିତା ପୋଷିବାକୁ ଯାଇ
ଭିଟାମାଟି କରେ ପର ।।2
ଟଙ୍କା କେଇଟାରେ ଜୀବନଟା ବିକି
ବୁହାଏ ରକତ ଝାଳ
ବାପା ମାଆ ତୁଣ୍ଡେ ଭଲକରି ଗଣ୍ଡେ
ଦେବାକୁ ଶାଗ ପଖାଳ ।।3
ହଜିଗଲା ସ୍ବପ୍ନ ଭାଙ୍ଗିଗଲା ଆଶା
ମାଡି ଆସିଅଛି କାଳ
ଜୀବନ ବିକଳେ ଧାଏଁ ସେ ଅନ୍ଧାରେ
ନାହିଁ ତା ଦେହରେ ବଳ ।।4
ଚାଲି ଚାଲି ପାଦ ଥକି ତ ଗଲାଣି
ଚାଲେ କେ ଧାରଣା ପରେ
କାହାର ଜୀବନ ଉଡିତ ଗଲାଣି
କିଏ ଭାସେ ନଦୀତୀରେ ।।5
ନିଜ କଥା ଏଠି ଅସମ୍ଭାଳ ଲାଗେ
ଅସମ୍ଭାଳ ଲାଗେ ନୀତି
ମାଲିକଠୁ ମାଡ ପୋଲିସ୍ ଠୁ ଲାଠି
ଖାଏ ପୁଣି ଦିନରାତି ।।6
ରାସ୍ତା ଘାଟ ପୋଲ କଳକାରଖାନା
ଟାୱାର, ଖଣିଖାଦାନ
ତିଆରିଛି ହାତେ ଶ୍ରମ ବଳ ଦେଇ
ଦେଇଛି ପୁଣି ଜୀବନ ।।7
ପେଟେ ନାହିଁ ଦାନା ପାଦେ ଚାଲି ଚାଲି
କ୍ଳାନ୍ତ ଶ୍ରୀହୀନ ପଥିକ
କିଏ ସେ ବୁଝୁଛି ତା ଜୀବନ ଦୁଃଖ
ସେ ଯେ ଦାଦନ ଶ୍ରମିକ ।।8
ଭୁଲି ଭେଦ ଭାବ ଧନୀ ଗରିବର
ମଣିଷ ପଣିଆ ରହୁ
ଆମ ପାଇଁ ସିଏ ବୁହାଇଛି ଝାଳ
ଆମେ ଦେବା ତାକୁ ଲହୁ ।। 9
ଆମ ପରି ଜଣେ ମଣିଷଟେ ସିଏ
ବିପଦେ ନଥାଏ ଡର
ଏ ସମାଜ ବୁଝୁ ଶ୍ରମିକର ଦାନ
କରନ୍ତୁ ସର୍ବେ ଆଦର ।। 10
Poet: Priyansu Lenka
Address: Upula,Jajpur