ଆଖିରେ ମୋର ନିଦ ନାହିଁ, ମନ ଆଉ ମୋ ଆୟତ୍ତ ରେ ନାହିଁ,
କେଉଁଥିରେ ମନ ମୋର ଆଉ ଲାଗୁନାହିଁ, ନା ଖେଳି ପାରୁଛି ନା ଖାଇ ପାରୁଛି ,ନା ଶୋଇ ପାରୁଛି ,ଲାଗୁଛି ଯେମିତି ହୃଦୟ ଟା ମୋର କେଉଁ ଏକ ପଥର ରେ ଆଘାତ ପାଇଁ ଖଣ୍ଡ ଖଣ୍ଡ ହୋଇ ଯାଇଛି,।।
ଆଖି ବୁଜିଲେ ଗାଁ ର ସେହି ସବୁଜ ବଣ ନଇ ନାଳ ଆଖି ପଲକରେ ନାଚି ଉଠୁଛି, କାନକୁ ମୋର ବ୍ୟସ୍ତ ବିବ୍ରତ କରୁଛି ଗାଁର କୁହୁଡ଼ି ସକାଳର କୁକୁଡ଼ା କାଉ କୋଇଲି ର ରାବ,ଦେହ ମୋର ଶୀତେଇ ଉଠୁଛି ଯେତେବେଳେ ଗାଁ ର ସେହି ସକାଳର ସାଙ୍ଗ ମେଳ ଖେଳ କଥା ମନେପଡି ଯାଉଛି,ଆଖି ଆଗରେ ସବୁ ମୋତେ ଦେଖା ଯାଉଚି ,ଲାଗୁଛି ଯେମିତି ଆଜି ବି ମୁଁ ସେହି ପ୍ଲାଷ୍ଟିକି ବ୍ୟାଗ କାନ୍ଧରେ ପକେଇ ଗାଁ କାଦୁଅ ରାସ୍ତାରେ ପାଦ ଚାପି ଚାପି ଚାଟଶାଳୀ ଯାଉଛି ପାଠ ପଢିବାକୁ।।
ଖରାବେଳର ସେହି ସାଙ୍ଗ ସାଥି କଥା ,ନଈ ପଠାରେ କଣ୍ଟେଇ କୋଳି ତୋଳିବାର କଥା ,ଗାଁ ମୁଣ୍ଡ ବରଗଛ ମୂଳରେ ଖଟି ,ପଡ଼ିଶା ବାଡିରୁ ଆମ୍ବ ଚୋରି ,ଗାଁ ପୋଖରୀରେ ବଂନିଶୀ କଣ୍ଟା ଦ୍ୱାରା ମାଛ ଧରିବାର ଖୁସି ,ଅଠା କାଠିରେ ରେ କଙ୍କି ଧରିବା ର କଥା, ଫୁଙ୍ଗୁଳା ଦେହରେ ପୋଖରୀରେ ବୁଡ଼ ମାରିବା ଦୃଶ୍ୟ ,ଆଉ ସନ୍ଧ୍ୟା ହେଲେ କାଗଜ ର ନଟେଇ ଉଡେଇବାର ମଜା ,ସାହି ପିଲାଙ୍କ ସହ ଚକ ଗଡେଇବାର ଦୃଶ୍ୟ, ଢେଲା ମାରି ବଗ ଉଡେଇବାର ଦୃଶ୍ୟ ,କୋଇଲି ର କୁହୁକୁହୁ ଡାକ ଶୁଣି ନିଜ ପାଟିରେ କୁହୁକୁହୁ ଡାକିବାର ମଜା ସତେ ଯେମିତି ଆଜି ମୋ ଆଖିର ସ୍ୱଚ୍ଛ ପଟଳରେ ଉଙ୍କି ମାରୁଛି।।
ସକାଳର ସୁନେଲି କିରଣରେ ମାଟି ଘର କାନ୍ଥରେ ଧବ ଫରଫର ଦିଶୁଥିବା ଚାଉଳ ଆଣ ରେ ଝୋଟି ,ଗାଁ ଗଣ୍ଡାରେ ମହମହ କର୍ପୂର ଚନ୍ଦନର ବାସ, ଗାଁ ବଗିଚାରେ ଜାତି ଜାତି ରଙ୍ଗ ବେରଙ୍ଗ ର ହସୁଥିବା ଫୁଲ ,ଆକାଶ ମାର୍ଗରେ ଉଡୁଥିବା ପକ୍ଷୀ ,ଚାଳ ଘର ପିଢ଼ାରେ ଡ଼ାମରା ରାବିବାର ଦୃଶ୍ୟ ,ପୋଖରୀ ତୁଠରେ ନବବଧୁ ମାନଙ୍କର ଭିଡ଼, ଗାଁ ରେ କୁମାରୀ ମାନଙ୍କର ଲାଜକୁଳୀ ଚାଲି ,ଚାଷୀ ଭାଇ ର କ୍ଷେତ କୁ ଯିବାର ଆଗ୍ରହ ,ଆଉ ଅଜା ଆଇ ଙ୍କର ଗୁଲି ଖଟି ଗପ,ଅଜା ହାତରେ ବାଉଁଶ ରେ ତିଆରି ଅଜାର ମେରୁଦଣ୍ଡ ବାଙ୍କୁଲି ବାଡ଼ି ଆଜି କାହିଁକି ବେଶି ମନେ ପଡୁଛି।।
ମନେ ପଡ଼ୁଛି ସେ ଦିନର ସେହି ମିଠା ସକାଳ ,ଶିଶିର ଛାଡି ନ ଥିବା କଅଁଳ ଦୁବ ଉପରେ ପାଦ ଖସେଇ ଜାଣି ଜାଣି ପଡ଼ିବାର ମଜା, ହାତରେ ମୁଠାଏ ଚାଉଳ ଧରି ନିଜ ପାଟି ରେ କା କା ହେଇ କାଉ ମାନଙ୍କୁ ଡ଼ାକି ମନେ ମନେ ମାମୁଁ ଘରୁ କିଏ ଜଣେ ଆସୁବୋଲି କାଉ ଆଗରେ ବିନତୀ, ମନେ ଅଛି ହାତରେ ଫୁଲ ଚାଙ୍ଗୁଡ଼ା ଟେ ଧରି ପଡିଶା ବାଡିରୁ ଗୋଟେ କହି ଅନେକ ଗେଣ୍ଡୁ କହ୍ନିହର ଟଗର ମନ୍ଦାର ଫୁଲ ତୋଳିବାର ମଜା, ଆଉ ମନେ ଅଛି ସକାଳ ର ସେ ପଖାଳ ,ପଖାଳ ସାଙ୍ଗରେ ବାଡ଼ି ବାଇଗଣ କଞ୍ଚାଲଙ୍କା ସ୍ୱାଦ ଆଜି ବି ପାଟି ଭୁଲିନି,ବେସି ମନେ ପଡୁଛି ଘରେ ପାଳି ଥିବା ଗାଈ କୁକୁଡ଼ା ଛେଳି ବତକ ମାନଙ୍କର କଥା ,ସେମାନେ ଯେମିତି ଆମ ଘରର ଜଣେ ଜଣେ ସଦସ୍ୟ ଥିଲେ, ସକାଳ ହେଲେ ସେମାନଙ୍କର ଆଖି କହି ଦେଉଥିଲା ସେମାନେ ସକାଳ ର କିରଣ କୁ ନୁହେଁ ବରଂ ମୋ ସହ ଆଳାପ କରିବାକୁ ଅପେକ୍ଷା କରିଛନ୍ତି,।।
ମନେ ପଡୁଛି ବୋଉ ର ଗାଳି ,ବାପାଙ୍କର ମାଡ଼, ସେତେବେଳେ ଭାବୁଥିଲି ଏ କଣ ,ମୋତେ କଣ ଏମାନେ ସବୁବେଳେ ଗାଳି ମାଡ ଦେଉଛନ୍ତି ,ଏମାନେ ମୋତେ ଭଲପାଉ ନାହାଁନ୍ତି ବୋଧେ ,ମୁଁ କେଡ଼େ ମୂର୍ଖ ଥିଲି ,ଏବେ ଭାବୁଛି ,କାହିଁକି ବଡ଼ ହେଲି ,ଛୋଟ ଥିଲି ଭଲ ଥିଲି ,ସକାଳୁ ସାଙ୍ଗ ମେଳରେ ଦିନ କଟି ଯାଉଥିଲା, ବୋଉ ର ଗାଳି ଖାଉଥିଲି ବାପା ଙ୍କ ମାଡ ଖାଉଥିଲି କେତେ ଭଲ ଥିଲି ,ଆଜି ପ୍ରବାସ ରେ ସବୁ ତ ମିଳୁଛି ,ସେହି ସାଙ୍ଗସାଥି ସେହି ସକାଳ ର ମିଠା ସ୍ମୃତି, ବୋଉ ର ଗାଳି ,ବୋଉ ହାତ ତିଆରି ଖାଦ୍ୟ ,ବାପା ଙ୍କର ମିଛି ମିଛିକା ମାଡ଼ କେବେ ପାଉ ନାହିଁ।।
ଭାରି ଖୁସି ହେଇ ଯାଉଥିଲି ଯେତେବେଳେ ଯୋଗୀ କେନ୍ଦରା ଧରି ଆମ ମାଟି ଘର ପିନ୍ଧାରେ ବସି ଟୀକା ଗୋବିନ୍ଦ ଚନ୍ଦ୍ର କଥା ବୋଲୁଥିଲେ, ମୁଁ ନିର୍ବିକ ନିଷ୍ପାପ ଶିଶୁ ଭଳି କାନ ଡେରି ଶୁଣୁଥିଲି ,ବୋଉ କହେ ଯା ଚାଉଳ ମୁଠେ ଆଣି ଦେ ,ସେ କେତେବେଳୁ ବସିଲେଣି, ମୁଁ କିନ୍ତୁ ଜାଣି ଜାଣି ବିଳମ୍ବ କରେ କେବଳ ସେହି ମିଠା ଗୀତ ଶୁଣିବା ଲାଗି, ମନେ ମନେ ଭାବୁଥାଏ ଏ ଯୋଗୀ ଭାଇ ଆଉ କିଛି ସମୟ ରୁହନ୍ତା କି ଆମ ଘର ପାଖରେ ,ବରଂ ମୁଁ ଘରେ ଲୁଚେଇ ଯୋଗୀର ଲାଉ ଥାଳ ଭରି ଦିଅନ୍ତି ଚାଉଳରେ ,ହେଲେ ସେ କଣ ରୁହନ୍ତି ,ସେ ତ ପରଦେଶୀ ଭଳି ଏ ଘର ରୁ ସେ ଘର ପିନ୍ଧା କୁ ଫୁର କିନା ଉଡ଼ିଯାନ୍ତି, ମୁଁ ତାଙ୍କ ପଛେ ପଛେ ଧାଏଁ, ପଡିଶା ଘର ଠୁ ପ୍ରାୟ ଗାଁ ଅଧା ଯାଏ ମୁଁ ଧାଇଁଥାଏ ଗୀତ ଶୁଣିବାକୁ,,,, ଭାରି ମଜା ଲାଗେ, କିନ୍ତୁ ଏବେ ସେହି ଦୃଶ୍ୟ ବିରଳ ,ଖୋଜିଲେ ବି ମିଳୁନାହିଁ ସେହି ମିଠା ସ୍ମୃତି।।
କିଛି ସମୟ ପରେ ପୁଣି କିଛି ଲୋକ ଆସନ୍ତି ,ହାତରେ ଖଣ୍ଡେ ଖଣ୍ଡେ କାଠ ଧରି ବହୁତ ସୁନ୍ଦର ଗୀତ ଗାଆନ୍ତି, ଆଗରୁ ଜାଣି ନଥିଲି ଏବେ ଜାଣିଲି ସେମାନଙ୍କୁ ଦାଶକାଠିଆ କୁହାଯାଏ, ଭାରି ମଧୁର ଲାଗେ ଦୁଇ କାଠ ସଂଯୋଗ ରେ ଯେଉଁ ଶବ୍ଦ ବାହାରି ଥାଏ।।
ବୈଶାଖ ମାସର ଟାଇଁ ଟାଇଁ ଡହଡହ ଖରାରେ ଏକ ଅପୂର୍ବ ସଂଗୀତ କାନରେ ପଡ଼େ, ଘରେ ଖାଇକି ଶୋଇଥାଏ ମୁଁ ,ବୋଉ ମୋର ଭାରି ଚତୁର ,ଯେ ପ୍ରଯ୍ୟନ୍ତ ମୁଁ ଶୋଇ ନ ଥାଏ ସେ କେବେ ଆଖି ବୁଜେ ନାହିଁ ,ତାକୁ ପାଖ ଘର ଜଣେ ଆଇମା କହିଛନ୍ତି କାଳେ ଖରାବେଳେ ପିଲାଧରା ବାଲା ଆସନ୍ତି ,ପିଲାଙ୍କୁ ବାହାରକୁ ଛାଡ଼ିବୁନି, ସେହି ଡରରେ ସେ ମୋତେ ବାହାରକୁ ଛାଡେ ନାହିଁ,
କିନ୍ତୁ ମୋ ଆଖିରେ ନିଦ ନ ଥାଏ ,ବାହାରେ ଶୁଭୁଥିବା ମଧୁର ସଙ୍ଗୀତ ମୋତେ ମତୁଆଲା କରିଦିଏ ,ବାଧ୍ୟ କରୁଥାଏ ଲୁଚିକି ଦେଖିବାକୁ ,କିନ୍ତୁ ବୋଉ ଡରରେ ବାହାରକୁ ଆସେ ନାହିଁ ଯଦି ବା ଆସିଲି ମାଡ ଖାଇବା ଟା ଥୟ, ପୁଣି ସେହି ଶବ୍ଦ ଭାରି ଜୋର ଶୁଭେ ,ସେମାନେ ଆମ ଘର ଆଗରେ ଗାଉଥାନ୍ତି, ବହୁତ ଧର୍ମ ସଚେତନ ମୂଳକ ଗୀତ ଗାଉଥାନ୍ତି ,ଯାହାକୁ ଏବେ ଆମେ କହୁଛନ୍ତି ଚକୁଳିଆ ପଣ୍ଡା ଗୀତ ,ସେହି ଚକୁଳିଆ ପଣ୍ଡା ମାନେ ହାତରେ ଖଣ୍ଡେ ଖଣ୍ଡେ ଛତା ଧରି କାନ୍ଧରେ ପଇତା ପକେଇ ହାତରେ ପିତ୍ତଳ ଗଡୁ ଧରି ଭିକ୍ଷା ବୃତ୍ତି କରିବା ଲାଗି ଆସନ୍ତି ,ଭାରି ଭଲ ଲାଗେ ତାଙ୍କ ଗୀତ ଶୁଣିବାକୁ, ବେଳେବେଳେ ତ ଇଚ୍ଛା ହୁଏ ମୁଁ ତାଙ୍କ ସାଙ୍ଗରେ ପଳେଇ ଯାଆନ୍ତି କି ,ତାଙ୍କ ସହିତ ରୁହନ୍ତି ତାଙ୍କ ଗୀତ ଶୁଣନ୍ତି, ଭାରି ଭଲ ହୁଅନ୍ତା ,ହେଲେ ବୋଉ ର ମାଡ ଆଗରେ ମୋର ସବୁ ଆଶା ପାଣିରେ ମିଶି ଯାଏ।।
ଚଇତ୍ର ମାସରେ ଠିକ ଅପରାହ୍ନ ଚାରି ରୁ ପାଞ୍ଚ ଟା ଭିତରେ ଢୋଲକ ର ଶବ୍ଦ କାନରେ ପଡେ଼, କୁହନ୍ତି ମାଆ ମଙ୍ଗଳା ଙ୍କ ଘଣ୍ଟ ଆସିଛି ,ଘଣ୍ଟପାଟୁଆ ଘଣ୍ଟ କୁ ମୁଣ୍ଡରେ ମୁଣ୍ଡେଇ ଢୋଲକ ର ତାଳେ ତାଳେ ଝୁଲି ଝୁଲି ନାଚୁଥାଏ ,ଘରେ ଘରେ ପ୍ରସାଦ ଖାଉଥାନ୍ତି,ଲୋକ ମାନେ ବାଲିରେ ଗଡି ମୁଣ୍ଡିଆ ମାରନ୍ତି ମା ମଙ୍ଗଳା ଘଣ୍ଟକୁ,ଗାଁ ମଝିରେ କାଳେ ଜଣକୁ ପ୍ରତି ବର୍ଷ ଦାସୀ ଲାଗେ ,ମୁଁ ସେତେବେଳେ ଶୁଣିଥିଲି ହେଲେ କେବେ ଯାଇପାରିନାହିଁ ଦେଖିବାକୁ।।।
ଗାଁ ର ପର୍ବ ନିଆରା ,ଗାଁ ର ମକର ଯାତ୍ରା ପର୍ବ ଠୁ ଆରମ୍ବ କରି ହୋଲି, କୁମାରୀ ମାନଙ୍କର ମାଘ ମାସ ସୋମବାର ଓଷା, ଅଗ୍ନି ଉତ୍ସବ, ବାଟ ଓଷା, ସାବିତ୍ରୀ ବ୍ରତ, ମଙ୍ଗଳା ଓଷା ,ଖୁଦୁରୁକୁଣୀ ଓଷା, ଗଣେଶ ପୂଜା ମାଆ ସ୍ୱରସ୍ବତୀ ଙ୍କ ପୂଜା, ଦୁର୍ଗା ପୂଜା ରଜ ପର୍ବ ,କାଳୀ ପୂଜା, ଅଖ ତୃତୀୟା ରେ ମାଟି ମାର ପୂଜା,ପଣା ସଂକ୍ରାନ୍ତି,ରଥଯାତ୍ରା, ଗାଁ ର ଯନ୍ତାଳ ,ଗାଁ ପିଲାଙ୍କ ଦ୍ୱାରା ପରିବେଷଣ ଡ୍ରାମା, ଘୋଡ଼ା ନାଚ, ସାହି ପିଲାଙ୍କ ଦ୍ୱାରା ଆୟୋଜିତ କ୍ରିକେଟ ମ୍ୟାଚ, ଗାଁ ପଡ଼ିଆରେ ସାଙ୍ଗ ମେଳରେ ଭଲି ବଲ ଫୁଟ ବଲ ଖେଳ ସବୁ ଯେମିତି ଆଜି ଜୀବନ୍ତ ଲାଗୁଛି।।।।
ବେସି ଡର ଲାଗେ ଯେତେବେଳେ ସାପୁଆ କେଳା ମାନେ ଗାଁ କୁ ଆସନ୍ତି ,ନିଜ ପେଡି ରେ ବିଭିନ୍ନ ପ୍ରକାର ସାପ ଯଥା ତମ୍ପ ନାଗ ଗୋଖର ଇତ୍ୟାଦି ସାପ ମାନଙ୍କୁ ବାହାର କରି ପଦ୍ମଚଳା ଦେଇ ସାପ ମାନଙ୍କୁ ହାତରେ ଧରି ନିଜର ପେଟ ପାଇଁ ଲୋକ ମାନଙ୍କୁ ସାହାଯ୍ୟ ମାଗନ୍ତି, ସେ ସ୍ମୃତି ଏବେ ବିରଳ ,କାହିଁ ଗାଁ କୁ ଆଉ କେବେ ସେମାନେ ଆସୁ ନାହାନ୍ତି, ବୋଧେ ସେମାନେ ଭୁଲିଗଲେଣି ସେମାନଙ୍କର ବୃତ୍ତି।।।
ନାଲି ନୀଳ ରଙ୍ଗର ବିଭିନ୍ନ କାଚ ଧରି ସଙ୍ଖାରି ମାନେ ଗାଁ କୁ ଆସନ୍ତି ,ଭାରି ଭଲ ଲାଗେ ସେମାନଙ୍କର ପୋଷାକ ଦେଖିଲେ ତା ଛଡ଼ା ତାଙ୍କର ପେଡ଼ି ମଧ୍ୟ ଅତ୍ୟନ୍ତ ସୁନ୍ଦର ,ବିଭିନ୍ନ ରଙ୍ଗ କାଚରେ ଝଲମଲ ହେଉଥାଏ ତାଙ୍କର କାଚ ପେଡ଼ି, ସେମାନଙ୍କୁ ବି ଆଖି ଅନେକ ଦିନ ହେବ ଦେଖିବାକୁ ପାଉ ନାହିଁ।।।।
ଆଉ ଏକ ସ୍ମୃତି ଏବେ ବିରଳ ,ମୁଣ୍ଡପୋତା କେଳା, ସେମାନେ ନିଜର ପେଟ ପାଇଁ ଗାଁ ଗାଁ ବୁଲି ନିଜର କଳା କୌଶଳ ଦେଖେଇ ଦିନ କାଟନ୍ତି, ମାଟି ଭିତରେ ପ୍ରାୟ ଦୁଇ ରୁ ତିନି ମିନିଟ ମୁଣ୍ଡ କୁ ରଖି ନିଜ ପେଟର ଦାନା ପାଇଁ ଲୋକ ମାନଙ୍କ ଆଗରେ ଅଳି କରିଥାନ୍ତି ଚାଉଳ ମୁଠାଏ ପାଇଁ ,ତା ଛଡ଼ା ସେମାନେ ବାଉଁଶ ର ସର୍କସ ବାଉଁଶ ରାଣୀ ଖେଳ ,ଦଉଡି ଉପରେ ନିଜକୁ ବାଲାନ୍ସ କରି ଚାଳିବାରେ ଧୁରନ୍ଧର, ସେମାନଙ୍କର ଜୀବିକା କହିଲେ ସର୍କସ ବା ଲୋକ ମାନଙ୍କୁ ଖୁସି କରି ଚାଉଳ ମୁଠାଏ ନିଅନ୍ତି ,।।
ଭାରି ଭଲ ଲାଗେ ଯେତେବେଳେ ଫେରିବାଲା ଟିଏ ଗାଁ କୁ ଆସିଥାଏ ,ବହୁତ ଜୋର ରେ କହୁଥାଏ ଶହେ ରେ ଚାରି ଶହେ ରେ ଚାରି ,,ଛୋଟ ପିଲାଙ୍କ ଡ୍ରେସ ଠୁ ଆରମ୍ବ କରି ଶାଢ଼ୀ ସାର୍ଟ ପେଣ୍ଟ ଏମିତି ବିଭିନ୍ନ ପ୍ରକାର ସାମଗ୍ରୀ ଧରି ସାଇକେଲ ରେ କେହି କେହି ମୁଣ୍ଡରେ ବହି ଆଣି ଗାଁ ରେ ବିକ୍ରି କରି ନିଜର ପେଟ ପୋଷୁ ଥିଲେ ,ହେଲେ ଏବେ ସେମାନେ ବିଲୁପ୍ତ, ସେମାନେ ବାଟ ଭୁଲିଗଲେ କି ନିଜ ଜୀବିକା କୁ ବଦଳେଇ ଦେଲେ ସମୟ ସୁହରେ ସେମାନଙ୍କୁ ଜଣା ,ପ୍ରାୟ ଆଉ ସେମାନେ ଆଖିରେ ପଡୁ ନାହାନ୍ତି।।
ଭାରି ଭଲ ଲାଗେ ସନ୍ଧ୍ୟା ସମୟ, ଗୋଧୂଳି ର ଦୃଶ୍ୟ, ଗାଁ ରୁ ନଈ କୁ ଲମ୍ବିଥିବା ସଡ଼କ ସତେ ଯେମିତି ଚଳ ଚଞ୍ଚଳ ହେଇ ଉଠେ, ବାହୁଡା ପକ୍ଷୀ ମାନଙ୍କର ଚିତ୍କାର ଆକାଶରେ ଉଡୁଥିବା ବଗ ବଗୁଲି ମାନଙ୍କୁ ଦେଖିଲେ ପେଟ ପୁରିଯାଏ, ଏବେ ଆଉ ସେହି ଚିତ୍ର ମୋର ଆଖିରେ ପଡୁନାହିଁ,।।
ଗାଁ ଛାଡ଼ି ପ୍ରବାସ ରେ ନିଜର ମନକୁ ଆୟତ୍ତ କରି ରହୁଛି ହେଲେ ଗାଁ ର ସେହି ମିଠା ସ୍ମୃତି ସବୁବେଳେ ମନେପଡେ, ଗାଁ ର ପରିବେଶ ଗାଁ ଲୋକ ମାନଙ୍କର ସେହ୍ନ ପ୍ରେମ ଭଲପାଇବା ସବୁବେଳେ ମନ ଖୋଜୁଥାଏ, ଇଚ୍ଛା ହୁଏ ପୁଣି ସେହି ବାଲ୍ୟ ବୟସ ଫେରି ଆସନ୍ତା କି ,ପୁଣି ଥରେ ନାଚନ୍ତି ଗାଆନ୍ତି,ଧୂଳି ରେ ଖେଳନ୍ତି, ପୁଣି ଥରେ ବୋଉ କୋଳରେ ରହି ଜହ୍ନ ମାମୁଁ ଦେଖନ୍ତି, ପୁଣି ଥରେ ଚାଟଶାଳୀ ଯାଆନ୍ତି, ପୁଣି ଥରେ ସାଙ୍ଗସାଥି ଙ୍କ ମେଳରେ ସମୟ ବିତାନ୍ତି,।
ସବୁ ସପ୍ନ ,କିଛି ସପ୍ନ ବହୁତ ଦୁଃଖ ଦେଇଥାଏ ,ଯେମିତି ଗାଁ ରେ କିଛି ପର୍ବ ପର୍ବାଣୀ ହେଲେ ପ୍ରବାସ ରେ ଭାରି ମନ ଦୁଃଖ ହୁଏ ,ଇଚ୍ଛା ହୁଏ ଗାଁ ରେ ଥାନ୍ତି କି ,ମୁଁ ବି ଗାଁ ଲୋକଙ୍କ ସହ ମିଶି ଗାଁ ର ସାଙ୍ଗ ସାଥି ଙ୍କ ସହ ମିଶି ବହୁତ ମଜା କରିଥାନ୍ତି, ହେଲେ ବୟସ ଯେ ବହି ଯିବା ପାଣି ଭଳି ,ନା ସେ ପଛକୁ ଫେରୁଛି ନା ସେ ମିଠା ସ୍ମୃତି କୁ ଆଉ ଥରେ ମନଭରି ଉପଭୋଗ କରିବାର ସୁଯୋଗ ଦେଉଛି, ତଥାପି ଖୁସି ଲାଗେ ଗାଁ କଥା ଭାବିଦେଲେ, ମାଆ କଥା ଭାବିଦେଲେ, ଗାଁ ମାଟିର ବାସ୍ନା ଆଜିବି ଜୀବନ୍ତ ,ମନ କହେ ଆରେ ଥରେ ଗାଁ କୁ ବୁଲିଯା ,ଗାଁ ମାଟିର ବାସ୍ନା କୁ ଉପଭୋଗ କର ,ଗାଁ ର ସେହି ଚନ୍ଦନ ରୂପକ ଧୂଳି କୁ ଆଉ ଥରେ ମୁଣ୍ଡରେ ବୋଳି ଦେ, ଆଉ ଥରେ ସେହି ପିଲାଦିନ ଫେରି ଆସିବ ଆଉ ଥରେ ସେ ହସ ଗୁଡ଼ାକ ଓଠରେ ଝରି ପଡ଼ିବ, ହେଲେ କର୍ମ ତ ଏଠି ବନ୍ଦୀ କରି ରଖିଛି ,ନା ଜନ୍ମଭୂମି ପବିତ୍ର ମାଟି ମାକୁ ଭୁଲି ହେଉଛି ନା କର୍ମ ଭୁମି କୁ ଛାଡି ହେଉଛି ,ଜୀବନ ଆଜି ଦୋଛକିରେ ,
ଖାଲି ସ୍ମୃତିକୁ ସାଥି କରି ଛଟପଟ ହେଉଚି, ସ୍ମୃତି ଗୁଡ଼ାକ ଜୀବନ୍ତ ଲାଗୁଛି ,କାହିଁକି କେଜାଣି ଆଜି ଗାଁ କଥା ଭାରି ମନେ ପଡୁଛି।।
Writer: Priyansu Lenka
Address: Upula,Jajpur